top of page
Search

ପିଲା ଦିନର କଥା (ଦ୍ଵିତୀୟ ଭାଗ)

  • Writer: Snehasish Rout
    Snehasish Rout
  • Oct 16, 2023
  • 5 min read

Updated: Oct 17, 2023

ଏମିତି ଖେଳକୁଦ, ବାଳୁଙ୍ଗାମି, ମାଡ଼ଖିଆ ଆଉ ଅନାଅନିରେ ପ୍ରାଥମିକ ସ୍କୁଲରେ ପାଠ ପଢା ସରିଲା। ଆରମ୍ଭ ହେଲା ମାଧ୍ୟମିକ ସ୍କୁଲରେ ପଢା। ସେ ସ୍କୁଲ ଟି ଘରଠାରୁ ମାତ୍ର ୨୦୦ ମିଟର୍ ଦୂରରେ। ବହୁତ କଡା ସାର୍ ଆଉ ଦିଦି। ଆଣ୍ଠୁ ତଳେ ନିଜେ ଗୋଡି ଦେଇ ଆଣ୍ଠେଇବା ଏକ ନୂଆ ଶାସ୍ତି ରୂପେ ଉଭା ହୋଇଥିଲା। ବଡ଼ କଷ୍ଟକର ଥିଲା ସେ ଶାସ୍ତି। ଏଠି ଗୋଟିଏ ନୂଆ କଥା ଥିଲା ଯେ - ଝିଅ ପିଲାଙ୍କ ସଂଖ୍ୟା ପୁଅ ପିଲାଙ୍କ ଠାରୁ ସାମାନ୍ୟ ଅଧିକ ଥିଲା। ଝିଅ ନାଁ ଯୋଡି ପିଲାଙ୍କୁ ଚିଡ଼େଇବା, ଏକ ନୂଆ ଜ୍ଞାନ ରୂପେ ଆସିଥିଲା ବାଳୁଙ୍ଗା ଦଳଙ୍କ ଭିତରେ। ମୋ ନାଁ ସହ ଯୋଉ ଝିଅ ନାଁ ଟି ଯୋଡ଼ିଥିଲେ, ମୁଁ ବଡ଼ ଭୟରେ ରହୁଥିଲି - କାଳେ କିଏ ଜାଣିଦେବ। ଭୟର କାରଣ ଥିଲେ ଝିଅଟିର ଦୁଇଜଣ ବାହୁବଳୀ ଭାଇ। କୋଉ ପୁଅ, ଝିଅ କଥା ହେବାର ଦେଖିଦେଲେ, ବାଳୁଙ୍ଗା ଦଳ ସାଙ୍ଗେ ସାଙ୍ଗେ କାମରେ ଲାଗି ଯାଉଥିଲେ। ଡେସ୍କ, କାନ୍ଥ ଇତ୍ୟାଦିରେ ନାଁ ଯୋଡି ଯୋଡି ହୋଇ ଲେଖା ହେଉଥିବାର ଦେଖିଲେ, ମନ ଭିତର କୁରୁଳି ଉଠିଲେ ବି ଭୟ ଲାଗୁଥିଲା। ଯେଉଁଦିନ କେବଳ ନାଁ ଲେଖା ହୋଇଥିବାରୁ ସୁଜିତ ନାମକ ପିଲାଟି ଦୁଇ ଚଟକଣି ଖାଇଲା, ଭୟର ମାତ୍ରା ଆହୁରି ବଢିଗଲା।


ଥରେ ସ୍କୁଲରେ ନିଷ୍ପତି ହେଲା ଡ୍ରାମାଟିଏ କରିବା। ବାଣାସୁର ବଧ। ଖୋଜି ଖୋଜି ମୋଟାସୋଟା ପିଲାଟିକୁ ବାଣାସୁର ଚରିତ୍ର ପାଇଁ ବାଛିଲେ। ଗୀତିନାଟ୍ୟରେ ପ୍ରାୟ ଚରିତ୍ରକୁ ଗୀତ ଗାଇବାକୁ ପଡିବ, ହେଲେ ବାଣାସୁର ଯିଏ ହେଇଥିଲା, ତା କଣ୍ଠ ବି ବାଣାସୁର ପରି ଘାଗଡା । ନିର୍ଦ୍ଦେଶକ ଟୁନା ସାର ବଡ଼ ବିବ୍ରତ ରହୁଥାନ୍ତି। ସେତେବେଳେ ପ୍ରଚ୍ଛଦପଟ୍ଟ କଣ୍ଠ କଥା କେହି ଭାବି ନଥିଲେ। ସେତିକି ନୁହେଁ, ରିହରସାଲରେ ଗର୍ଜନ ତର୍ଜନ କରି ବିଚରାର ତଣ୍ଟିଟି ଶେଷକୁ ବସିଗଲା। ଯେତେ ବଚ ଖାଇ, ଗରମ ପାଣି କୁଳି କରି କିଛି ଲାଭ ହେଲାନାହିଁ। ଶେଷରେ ନିଷ୍ପତି ହେଲା କି ସିଏ ଗାଇବ, ହେଲେ ତା କଣ୍ଠଠାରୁ ଜୋର ଶବ୍ଦରେ ବାଦ୍ୟ ବଜାଇ ଦିଆଗଲେ, ତା ଫଟା କଣ୍ଠ ଦର୍ଶକ ଧରି ପାରିବେ ନାହିଁ। ମତେ ଗୁରୁତ୍ୱହୀନ ଚରିତ୍ରଟିଏ ଦେଇଥାନ୍ତି, ବଳରାମ। ବଳରାମ ଚରିତ୍ର ପାଇଁ ବି ଗୀତଟିଏ ଥିଲା “ଛାଡ଼ିଯିବ ବଡ଼ିମା ଦୁଷ୍ଟ; ମୁଣ୍ଡକୁ ତୋହର ଦେବି ରେ ମୋଡି”। ଥରେ ରିହରସଲ ଚାଲିଥାଏ। ସଂଳାପ ଓ ଗୀତ ସବୁ ରେକର୍ଡ଼ିଂ ହେଉଥାଏ। ମୋ ଗୀତ ସରିଲା ତ ପଟାସ୍ କରି ଗୋଟାଏ ଚଟକଣା ବସିଲା ଗାଲରେ। ତାହା ପୁଣି ଝିଅମାନଙ୍କ ଆଗରେ (ସେଇଟା ବେଶୀ ବାଧେନି କି?)। ସାର୍ କହିଲେ “ଗୀତ ଗାଇଲା ବେଳେ ଏପାଖ ସେପାଖ ଚାଲିବା କଥା। ଚାଲିଥିଲୁ?” କଥା ହେଉଛି ଏଇଆ ଯେ - ଗୀତ ଗାଇବା ସହ ଉଭୟ ଚରିତ୍ର ପରସ୍ପରକୁ ଢିମା ଢିମା ଆଖିରେ ଅନେଇ ଏପାଖ ସେପାଖ ଚାଲିବା କଥା। ମୋର ସାଥି ଚରିତ୍ର ଶିବଜ୍ୱର (ତା ନାଁ ତପନ, ଏବେ ଆଉ ଦୁନିଆରେ ନାହିଁ, ଭଗବାନ ତା ଆତ୍ମାକୁ ଶାନ୍ତି ଦିଅନ୍ତୁ) ମତେ ଆଖିରେ ଇସାରା କରିଥିଲା ଚାଲିବା ପାଇଁ। ହେଲେ, ମୁଁ ଭାବିଲି ଟେପ୍ ରେ ତ ରେକର୍ଡ଼ିଂ ହେଉଛି, ଚାଲିବାର ଆବଶ୍ୟକତା କଣ? ସିଏ ବାରମ୍ବାର ଆଖିରେ କହୁଥାଏ - ଚାଲ, ମୁଁ ବି ବାରମ୍ବାର ଆଖିରେ ମନା କରୁଥାଏ। ଏଇଟା ସାରଙ୍କର ଆଖିରେ ପଡି ଯାଇଥିଲା। ତେଣୁ ଗାଲକୁ ସେକିଦେଲେ। ଅବଶ୍ୟ ମାଡ଼ ଖାଇବା ଯେତିକି ବାଧିଥିଲା, ପରେ ପାର୍ବତୀ, ରୁକ୍ମିଣୀ, ଉଷା, ନର୍ତ୍ତକୀ ଚରିତ୍ର ସବୁ ମତେ ବୁଝାଇବା ସେତିକି ଭଲ ବି ଲାଗିଥିଲା। ଡ୍ରାମା ଦିନ ସବୁ ଠିକଠାକ ଗଲା, କେବଳ ବଳରାମ ଶିବଜ୍ୱର ଠାରୁ ଯୁଦ୍ଧରେ ପରାଜିତ ହୋଇ ପଳାୟନ କଲା ବେଳେ ଷ୍ଟେଜରୁ ତଳକୁ ଖସି ପଡିଲେ। ଭୟରେ ହେଉ କି ଲଜ୍ୟାବଶତଃ, ତିନି ଚାରି ଦିନ ସ୍କୁଲ ଗଲିନି। ସାଙ୍ଗ ସବୁ ଘରକୁ ଆସିଲେ। ବୁଝାବୁଝୀ କରି ସ୍କୁଲକୁ ନେଇ କି ଗଲେ। ସେଠି ଟୁନା ସାରଙ୍କର କ୍ଲାସ୍ ବେଳକୁ ଛାତି ଥରୁଥାଏ; ଏତେ ସୁନ୍ଦର ଡ୍ରାମାଟି ମୋ ଯୋଗୁ ନଷ୍ଟ ହେଇଗଲା ଭାବି।


ସପ୍ତମ ପରୀକ୍ଷା ବେଳକୁ ପୁଅ ପିଲାତକ ରାତିରେ ସ୍କୁଲରେ ରହି ପଢୁ। ସିଏ ବି ଗୋଟାଏ ଲମ୍ବା କାହାଣୀ। ରାତିରେ ସ୍କୁଲରେ ରୋଷେଇ ହୁଏ ପିଲାଙ୍କ ପାଇଁ। ସୁବୋଧ ବୋଲି ପିଲାଟିର ବାପା କଲିକତାରୁ ଟିଣରେ ଟିଣେ କଲିକତା ରସଗୋଲା ଆଣିଥାନ୍ତି ଛୁଆଙ୍କ ପାଇଁ। ଯିଏ ଖାଇଲେ ତ ଖାଇଲେ, ବାଳୁଙ୍ଗା ଦଳ ଗୋଟେ ଲୋଟାରେ କିଛି ରସଗୋଲା ଲୁଚାଇ ଥାନ୍ତି, ରାତିରେ ଖାଇବେ ବୋଲି। ରାତିରେ ସାହାଣୀ ସାର୍ ଜଣେ ଥିଲେ, ତାଙ୍କୁ ତଲବ ଦେଖାଇଲା। ସାର୍ ଲୋଟାଟି ନେଇ ପାଇଖାନା ଚାଲିଗଲେ। ଏପଟେ ବାଳୁଙ୍ଗା ଦଳର ଆଲୋଚନା ଚାଲିଥାଏ - ସାରଙ୍କର ଯେବେ ଲୋଟାର ଆବଶ୍ୟକତା ପଡିବ ଓ ଲୋଟାରୁ ପାଣି ବଦଳରେ ରସଗୋଲା ଖସିବ, ସାର୍ କରିବେ କଣ? ଜଣେ କହୁଥାଏ - ସାର୍ ଲୋଟାରେ ପାଣି ଭରିଲା ବେଳେ ଜାଣି ଯାଇଥିବେ ଆଉ ରସଗୋଲା କାମ ସାରି ତା ପରେ ବାକି କାମଟି କରିଥିବେ। ଆଉ ଜଣେ କିନ୍ତୁ ମାନୁ ନ ଥାଏ - ସାର୍ ଯୋଉ ଅବସ୍ଥାରେ ଗଲେ, ଲାଗୁନି କି ସେ ଲୋଟାର ପ୍ରାଥମିକ ତଦନ୍ତ କରିଥିବେ। ସେ ଯାହା ହେଉ, ସାର୍ ପାଖାପାଖି ଅଧ ଘଣ୍ଟାଏ ପରେ ଫେରିଲେ ଓ କୌଣସି ପ୍ରତିକ୍ରିୟା ବି ଦେଲେ ନାହିଁ। ପରେ ବାଳୁଙ୍ଗା ଦଳ ସରଜମିନ ତଦନ୍ତରେ ଘଟଣାସ୍ଥଳକୁ ଗଲେ ଓ ଫେରି କହିଲେ - ସେଠାର ଅବସ୍ଥା, ତଳେ ପଡିଥିବା ଶିରା ଓ ନାକଫଟା ଦୁର୍ଗନ୍ଧରୁ ଜଣା ପଡୁଛି କି ରସଗୋଲାଗୁଡିକ ସାରଙ୍କର ପେଟ ଭିତରେ ସମାଧି ନେଇଛନ୍ତି ଓ ତାଙ୍କ ପାଖରେ ରାତିରେ ଶୋଇବା ନାକ ପାଇଁ ବିପଦଜନକ ହୋଇପାରେ। ସାହାଣୀ ସାର୍ ଗଣିତ ପଢାଉଥିଲେ। ଭାରି କଡା ଲୋକ। ହାତରେ ନ ମାରି କଥାରେ ମାରନ୍ତି। ପୁରୁଣା ଅଭିନେତା ରାଜ୍ କୁମାରଙ୍କ ପରି ନିଶ ତାଙ୍କର। ଥରେ କାଟୁ କାଟୁ ବାରିକ ସାରଙ୍କର ନିଶ କାଟି ପକେଇଲା। ବିନା ନିଶରେ ସାରଙ୍କୁ ସେଦିନ କ୍ଲାସରେ ଦେଖି ଜାଣିଲୁ, ହସ ଲାଗିଲେ, ରୋକିବା କେଡେ କଷ୍ଟ। କିଏ କାହା ମୁହଁକୁ ଅନେଉ ନ ଥାନ୍ତି।


ସେତେବେଳେ ବୃତ୍ତି ପରୀକ୍ଷା ପାଇଁ ଦୂର ସ୍କୁଲକୁ ଯାଇ ପରୀକ୍ଷା ଦେବାକୁ ପଡୁଥିଲା। ମୁଁ ଜେଜେଙ୍କ ସହ ଦୂର ଗୋଟିଏ ସ୍କୁଲକୁ ଗଲି। ପରୀକ୍ଷା ସକାଳୁ ଥିଲା ଓ ସକାଳୁଆ ବସ୍ ନ ଥିବା ଯୋଗୁ ରାତିରେ ଯାଇ ସେଠି ପହଞ୍ଚି ଗଲୁ ଓ ଗୋଟିଏ ଛୋଟ ହୋଟେଲରେ ରହିଲୁ। ଯାହା ମନେ ଅଛି, ପରୀକ୍ଷା ଦେବା ଠାରୁ ମୋ ପାଇଁ ଖୁସିର ବିଷୟ ଥିଲା ବାହାରେ ଯାଇ ରହିବା।


ବୃତ୍ତି ପରୀକ୍ଷା ଶେଷ ହେବା ସହ ମାଇନର୍ ସ୍କୁଲ୍ ପାଠ ସରିଲା ଓ ଆମେ ଆସିଲୁ ଭଦ୍ରକ ହାଇସ୍କୁଲ୍ (ଏବେ ଭଦ୍ରକ ଜିଲ୍ଲା ସ୍କୁଲ୍)। ସେତେବେଳେ ସେଠି ଝିଅ ପିଲା ପଢୁ ନ ଥିଲେ। ସାଙ୍ଗ ଝିଅସବୁ ଭଦ୍ରକ ବାଳିକା ବିଦ୍ୟାଳୟରେ ପଢିଲେ। ଛୁଟି ହେଲେ ଦେଖା ହୋଇ ଚାଲିବା ପ୍ରତିଯୋଗିତା ହୁଏ ଆମର। ଏଇଠି କ୍ରିକେଟ୍ ଖେଳ ପ୍ରତି ଆକର୍ଷଣ ଆରମ୍ଭ ହେଲା ମୋର।


କ୍ରିକେଟ୍ ପ୍ରତି ଆକର୍ଷଣ ପଛରେ ତେନ୍ଦୁଲକର ପରି କାରଣ ଥିଲା - ଭାରତର ୧୯୮୩ ବିଶ୍ୱକପ୍ ବିଜୟ। ତେବେ, ନିଶା ବଢ଼ିଲା ଆମର ଗଣିତ ଶିକ୍ଷକଙ୍କ ପାଇଁ। ଅତିରିକ୍ତ ବିଷୟ ଗଣିତ ନେଇଥାଏ ଓ କ୍ଲାସଟି ଠିକ ଖେଳ ଛୁଟି ପରେ ଥାଏ। ଶିକ୍ଷକ ଜଣକ ମାରନ୍ତି ନାହିଁ, ହେଲେ ପେଟକୁ ଏମିତି ଚିମୁଟି ଧରନ୍ତି, ଅଧା ଜୀବନ ସେଇଠି ସରିଯାଏ। ତାଙ୍କ କ୍ଲାସ ତ ଛାଡ଼ନ୍ତୁ, ତା ପରର କ୍ଲାସତକ ବି କରୁ ନାହିଁ। ପ୍ରଥମେ ପ୍ରଥମେ ସେଇ ସମୟରେ ସ୍କୁଲ ପାଖ କୋର୍ଟରେ ଝରକା ପାଖରେ ଛିଡା ହୋଇ ଓକିଲଙ୍କ ଜେରା ଇତ୍ୟାଦି ଦେଖୁ। ଦିନେ ଜଣେ କୋର୍ଟ କର୍ମଚାରୀଙ୍କର ଆଖିରେ ସେଇଟା ପଡିଗଲା ଓ ଧରା ପଡିବା ଆଗରୁ ବିଜୁଳି ବେଗରେ ସେଠୁ ଦୌଡ଼ି ପଳେଇ ଗଲୁ ଆମେ। ସମୟ କାଟିବା ପାଇଁ ପାଖ ପଡିଆରେ କ୍ରିକେଟ୍ ଖେଳିବା ଆରମ୍ଭ କଲୁ। ଆମର ଜଣେ ସାଙ୍ଗ ଅଜୟ କ୍ରିକେଟ୍ ସରଞ୍ଜାମସବୁ ଆଣେ। ସେଥିପାଇଁ ଅବଶ୍ୟ ଅଧିକ ସମୟ ବ୍ୟାଟିଂ କରେ ସିଏ। ଏମିତି ହେଉ ହେଉ ଖେଳଟି ନିଶାରେ ପରିଣତ ହୋଇଗଲା। ଦିନେ ଦିନେ ଗୋଟେ ଗୋଟେ ମ୍ୟାଚ୍ ବି ସରିଯାଏ ସେଇ ସମୟରେ। ତେବେ, ଏ ଖୁସି ବେଶୀ ଦିନ ରହିଲା ନାହିଁ। ମୋର ବଡ଼ ଭାଇ ସେଇ ସ୍କୁଲରେ ପଢି କି ଯାଇଥିବାରୁ ଶିକ୍ଷକମାନେ ମତେ ଜାଣିଥିଲେ ଆଉ ମୁଁ କ୍ଲାସ ନ କରୁଥିବା କଥା ଧରା ପଡିଗଲା।


ଆମ ଖେଳ ଶିକ୍ଷକଙ୍କ ନାଁ ଥିଲା ବେଦି ସାର୍। ବିଶେନ ସିଂହ ନୁହେଁ କି ସାର୍ ପଞ୍ଜାବୀ ବି ନ ଥିଲେ। ସାଙ୍ଗିଆଟି କୁଆଡୁ ଆସିଲା, କେବେ କେବେ ଭାବିଛୁ ଯଦିଓ, କିନ୍ତୁ ତା ଉପରେ ଗବେଷଣା କିଛି ହେଇ ନ ଥିଲା। କିଛି ବାଳୁଙ୍ଗା ପଛରେ ଗୋଟେ ଅଲଗା ନାଁରେ ଡାକୁଥିଲେ ତାଙ୍କୁ। ପଛରେ ଡାକିବା ଯାଏଁ ଠିକ ଥିଲା, ହେଲେ ଅଭ୍ୟାସବଶତଃ ବୃହତ ବାଳୁଙ୍ଗା ସୁବାସ ତାଙ୍କ ପୁଅକୁ “ତୁ ଅମୁକ ସାରଙ୍କର ପୁଅ?” ବୋଲି ଯେବେ ପଚାରି ଦେଲା, ତା ପରଦିନ ସାରଙ୍କର ବାଡ଼ି ପୁରା କ୍ଲାସର ପିଠିସାରା ବୁଲିଥିଲା। ବେଦି ସାର୍ ରାଗିଲେ - ଅଳିଆ, ଅଯୋଗ୍ୟ, ଅଗାଡି, ଅସଭ୍ୟ, ଅନାର୍ଯ୍ୟ, ଅପଦାର୍ଥ ଏମିତି ଗୁଡ଼ାଏ 'ଅ' ଅକ୍ଷରରେ ଆରମ୍ଭ ଶବ୍ଦ ମାଧ୍ୟମରେ ଗାଳି ଦିଅନ୍ତି। ଖେଳ ଛୁଟି ପରେ କିଛି ପିଲା ସ୍କୁଲରୁ ଉଭାନ ହୋଇ ଛୁଟି ବେଳେ ଫେରୁଥିବା ଏମିତି ଗୋଟିଏ ବିରାଟ ବଡ଼ ଆବିଷ୍କାର ତାଙ୍କ ଦ୍ୱାରା ହୋଇଥିଲା। ବେଦି ସାର୍ କିନ୍ତୁ ମତେ ଖେଳ ପାଇଁ କମ, ଗୀତ ପାଇଁ ଅଧିକ ଚିହ୍ନିଥିଲେ। ତାଙ୍କର ଗୋଟିଏ ପ୍ରିୟ ଗୀତ ଥିଲା - ହିସାବ ନିକାଶ ଚଳଚିତ୍ରର “ଆସିଛି ଏକା, ଯିବି ମୁଁ ଏକା, ଏକା ହୋଇ”। ସେଇ ଗୀତଟି ମୁଁ ବହୁତ ଭଲ ଗାଇ ପାରୁଥିଲି ଓ ସେଇ ମାଧ୍ୟମରେ ସାରଙ୍କର ପ୍ରିୟ ଛାତ୍ର ବି ଥିଲି। ସ୍କୁଲ କ୍ରିକେଟ ଦଳରେ ମତେ ବାଧ୍ୟତାମୂଳକ ଭାବରେ ଖେଳାଉଥିଲେ। ବାଧ୍ୟତାମୂଳକ ଏଇଥିପାଇଁ ଯେ - ଦଳରେ ଯେଉଁ ପ୍ରକାର ଆବଶ୍ୟକତା ରହୁଥିଲା ବା ଯଦି କିଛି କାରଣ ପାଇଁ କୌଣସି ଖେଳାଳି ଅନୁପସ୍ଥିତ ରହୁଥିଲା, ସେ ସ୍ଥାନ ମତେ ମିଳୁଥିଲା। କେତେବେଳେ ଓପନିଂ ବ୍ୟାଟ୍ସମ୍ୟାନ୍, କେତେବେଳେ ୱିକେଟ୍ ରକ୍ଷକ ତ କେତେବେଳେ ବୋଲର୍ (ପେସ୍ ବା ସ୍ପିନ୍)। ଏବେ ମନେ ପକାଇଲେ, ଲାଗେ - ଆମ ହାଇସ୍କୁଲ ଦଳର ଅକ୍ଷର୍ ପଟେଲ୍ ଥିଲି ମୁଁ


ହଁ! ଧରା ପଡିବା କଥା! ଦିନେ ଖେଳ ସାରି ଛୁଟି ହେଲା ପରେ ଚୁପି ଚୁପି ସ୍କୁଲ ଗେଟ ବାଟେ ପଶିଲା ବେଳକୁ ବେଦି ସାର ଛିଡା ହୋଇଛନ୍ତି। ଅ ଅକ୍ଷରରେ ଗାଳି ଦେଲେ ତ ଦେଲେ, ସିଧା ନେଇ ହେଡ଼ ସାରଙ୍କ ଆଗରେ ଛିଡା କରେଇ ଦେଲେ। ହେଡ଼ ସାର ଥିଲେ, ଜଣେ ପ୍ରମୁଖ ଲେଖକ ଅନ୍ନଦା ପ୍ରସାଦ ରକ୍ଷିତ। ଲେଖକ ଲୋକ, ମରାଧରା ନ କରି ସେ କାମ ଘର ଲୋକଙ୍କୁ ଦେଇଦେଲେ। ଘର ଲୋକଙ୍କୁ ଖବର ଗଲା। ତା ପରଦିନ ଠାରୁ ଚୁପଚାପ କ୍ଲାସରେ ଚିମୁଟା ଖାଇ ପେଟ ଦରଜ କଲୁ। ଆଉ ଜଣେ ଥିଲେ, ସଂସ୍କୃତ ସାର। ତାଙ୍କର ବିଶେଷ ଗୁଣ ଥିଲା ଯେ ସେ କାହାକୁ ଅନାନ୍ତି, ଜଣା ପଡ଼େନି। ମୁଁ ଭଲ ବାଟଟିଏ ବାହାର କରିଥିଲି, ତଳକୁ ମୁଣ୍ଡ ପୋତି ବସିବା। ସାର୍ ଡାକିଲେ ବି ନ ଶୁଣିବାର ଅଭିନୟ କରି ବସେ। ତେବେ, ସେଇଟା ବେଶୀ ଦିନ କାମ କଲାନି। ସେ କ୍ଳାସଟି ମୁଁ ବେଞ୍ଚ ଉପରେ ଛିଡା ହୋଇ କାଟେ।


ଓଡ଼ିଆ ସାର୍ ଜଣେ ଥିଲେ, ତୁଳସୀ ସାର୍। କୋଲଗେଟ୍ ଧଳା ଦାନ୍ତ ତାଙ୍କର। ତାଙ୍କଠୁ ଶିଖିଥିଲୁ ସ, ଶ ଆଉ ଷ ର ପ୍ରଭେଦ। କୁହନ୍ତି “ହଇରେ!! ଦନ୍ତେ ସ, ତାଲବେ ଶ, ମୃଧଣେ ଷ!! ଏଗୁଡା କଣ?” ସାରଙ୍କ ବିଷୟରେ ପରେ ଲେଖିବି।


 
 
 

Recent Posts

See All
Social Media - Frustration Dustbin!

A very renowned person, who is highly active in the social media platforms, once told me a fact. That people, who are creating havoc in...

 
 
 
Isn't He everywhere??

It was the year 1993. We were staying at Puri where my father was posted. My mother was an ardent devotee of Lord Sri Jagannath and she...

 
 
 

Comments


Post: Blog2_Post

Follow

  • Facebook
  • Twitter
  • LinkedIn

©2020 by Snehasish. Proudly created with Wix.com

bottom of page