ପିଲା ଦିନର କଥା (ପ୍ରଥମ ଭାଗ)
- Snehasish Rout
- Oct 16, 2023
- 3 min read
ବାପାଙ୍କ ବଦଳି ଚାକିରୀରେ ଆମେ ବିଭିନ୍ନ ଜାଗା ବୁଲିଥାଉ। ମୋର ଜନ୍ମ ଧାନମଣ୍ଡଳରେ। ହେତୁ ପାଇବା ବେଳକୁ ଆମେ ଆସି ସାଲେପୁରରେ। ସେଇଠି ସ୍କୁଲ ଜୀବନ ଆରମ୍ଭ। ସ୍କୁଲ ଯିବାକୁ ଡରୁଥିଲି କାରଣ ଜଣେ ଶିକ୍ଷକ ବାପାଙ୍କ ଉପରେ ଥିବା କୌଣସି ରାଗ ମୋ ଉପରେ ସୁଝାଉଥିଲେ। କଥା କଥାରେ କହୁଥିଲେ “ତୁ ସେ ଅମୁକ ଅଫିସର୍ ପୁଅ ନା? ଦଉଛି ତତେ ରହ।” ଅବଶ୍ୟ କିଛି ଦେଉ ନ ଥିଲେ। କିନ୍ତୁ, ପ୍ରତି କ୍ଳାସରେ ଏଇ ଘୋଷା ସଂଳାପ ଶୁଣିବାକୁ ମିଳୁଥିଲା। ମୋର ସ୍ପଷ୍ଟ ମନେ ଅଛି, ମୋଟା ନିଶ ସହ ପୃଥଳକାୟ ଶରୀରରେ ଭାରି ଭୟଙ୍କର ଲାଗୁଥିଲେ ସିଏ ମତେ। ଆପଣମାନେ ଅନୁମାନ ଲଗାଇ ପାରିବେ, ଏଇଟା ଆଜକୁ ୪୮ ବର୍ଷ ତଳର କଥା। ତଥାପି ସେ ଶିକ୍ଷକଙ୍କ ଚେହେରା, କଥା କହିବାର ଶୈଳୀ ଆଉ ମୋର ତାଙ୍କ ପ୍ରତି ଭୟ ମୋର ଏଯାଏଁ ମନେ ଅଛି। ଘରେ ସେ କଥା କହି ପାରି ନ ଥିଲି, ହେଲେ ଡରି ଡରି ସ୍କୁଲ ଯାଏ। ଏମିତି ପ୍ରଥମ ଶ୍ରେଣୀଟି ସରିଲା। ଦ୍ଵିତୀୟ ଶ୍ରେଣୀରେ ସେ ଶିକ୍ଷକ ନ ଥିଲେ। କିଛି ସାଙ୍ଗ ମିଳିଲେ। ମୋ ଜୀବନର ପ୍ରଥମ ସାଙ୍ଗ ସବୁ!! କେବଳ ଜଣଙ୍କ ନାଁ ମନେ ଅଛି, ଟିକି। ଆମ ଘର ପାଖରେ ରହୁଥିଲା। ସ୍କୁଲ ପରେ ସାଙ୍ଗ ହୋଇ ଖେଳୁ। ଦିନେ ହଠାତ ଖବର ଆସିଲା ବାପାଙ୍କର କଟକ ବଦଳି ହୋଇଗଲା।
କଟକରେ ଗହ୍ମାଣ୍ଡିଆ ନିପ୍ରା ସ୍କୁଲରେ ପଢ଼ିଲି। ଗହ୍ମାଣ୍ଡିଆ ସ୍କୁଲ୍ ବିଷୟରେ ଏତିକି ମନେ ଅଛି ଯେ ପ୍ରତି ରବିବାର ସେଠି କୌଣସି ସୂତ୍ରରୁ ଗରିବ ପିଲାଙ୍କୁ ବଢିଆ ବାସ୍ନାଦାର ପାଉଁରୁଟି ମିଳୁଥିଲା। ସାଙ୍ଗମାନଙ୍କ ସହ ଯାଇ ସେ ପାଉଁରୁଟି ଆଣେ। ଥରେ ଘରକୁ ଆଣିଥିଲି ଯେ ବୁହେ ମାଡ଼ ବସିଲା ପିଠିରେ। ବାପା କହିଲେ - ସେଇଟା ଯଉଁମାନଙ୍କ ପାଇଁ ଆସୁଛି, ସେମାନେ ପାଇବା କଥା। ତଥାପି ରବିବାର ଲୁଚି ଲୁଚି ଆସେ, ପାଉଁରୁଟି ନିଏ ଆଉ ସେଇଠି ବସି ଖାଇଦିଏ। ସ୍ୱାଦ ଅପେକ୍ଷା ତାହାର ବାସ୍ନା ପ୍ରତି ମୋର ଆକର୍ଷଣ ଅଧିକ ଥାଏ।
ଲେଖିବାକୁ ଭୁଲିଗଲି - ମଝିରେ କିଛି ଦିନ ନିଆଳିର ଏକ ସ୍କୁଲରେ ପଢ଼ୁଥିଲି। ଅଳ୍ପଦିନ ପାଇଁ ବାପା ନିଆଳି ତହସିଲଦାର ଥିଲେ। ତେବେ, କିଛି ଦିନ ପାଇଁ ଯେହେତୁ ପଢ଼ିଥିଲି, ଜଣେ ବି ଭଲ ସାଙ୍ଗ ନ ଥିଲେ ମୋର। ହୁଏତ ଆଉ କିଛି ଦିନ ପଢିଥିଲେ ହୋଇଥାନ୍ତେ। ଗହ୍ମାଣ୍ଡିଆ ସ୍କୁଲରେ ବି ବେଶୀ ଦିନ ପଢି ପାରିଲି ନାହିଁ। ସେଠୁ ଆସିଲୁ ଭଦ୍ରକ।
ଭଦ୍ରକରେ ଘରକୁ ଲାଗି ସ୍କୁଲ। ଶିକ୍ଷକ, ଶିକ୍ଷୟିତ୍ରୀମାନେ ବହୁତ ସ୍ନେହୀ ଓ ପିଲାଙ୍କ କଥା ବୁଝୁଥିଲେ। ଅସୁବିଧା ଏଇଆ ଥିଲା କି ସ୍କୁଲ ନ ଗଲେ, ଘରକୁ ଆସି ଯାଉଥିଲେ ସାର ଆଉ ଦିଦି। ଖସିବାର ବାଟ ନ ଥିଲା। ତେବେ ଏଇଠି ହିଁ ବହୁତ ସାଙ୍ଗ ମିଳିଲେ ମତେ। ଆମ ଦାଣ୍ଡଟି ପ୍ରଶସ୍ତ ଥିବାରୁ ଛୁଟି ପରେ ସେଇଠି ଖେଳୁ। ଚୋର-ପୋଲିସ, ବୋହୁ ବୋହୁକା, କ୍ରିକେଟ ଇତ୍ୟାଦି ଖେଳ ହୁଏ। ବାଳୁଙ୍ଗା ଦଳଟି ଘର ଆଗରେ ଥିବା କରମଙ୍ଗା ଗଛରେ ସବୁବେଳେ ଚଢ଼ିଥାନ୍ତି। ଝିଅମାନେ ବାଡ଼ିରେ ଥିବା କୋଳି ଗଛ ତଳୁ ଖସି ପଡିଥିବା ପାଚିଲା କୋଳି ଗୋଟାନ୍ତି। ଗଛଟିକୁ ଜୋରରେ ହଲାଇଲେ, କିଛି ପାଚି ଆସୁଥିବା କୋଳି ବି ଖସେ। ଘରେ ଦୁଇ ତିନି ପ୍ରକାର ଭେରାଇଟିର ପିଜୁଳି ଗଛ ବି ଥାଏ। ଗୋଟେ ଗଛରେ ଗୋଲ ଗୋଲ ପିଜୁଳି ହୁଏ। ତା ଭିତରଟା ଗୋଲାପୀ ରଙ୍ଗର। ସ୍ୱାଦ ବହୁତ ମିଠା। ଘରୁ ଲୁଣ ଆଉ ଲଙ୍କାଗୁଣ୍ଡ ଆଣି କରମଙ୍ଗା, କୋଳି ଆଉ ପିଜୁଳି ଖିଆ ଭୋଜି ହୁଏ। ସ୍କୁଲରେ ସରସ୍ବତୀ ପୂଜା, ଗଣେଶ ପୂଜା ହୁଏ। ରାତି ଯାଏଁ ସ୍କୁଲରେ ରହି ସଜାସଜି ହୁଏ। ମଇଦା ଅଠା ତିଆରି ହୁଏ, ଝାଲେରୀ, ପତାକା, ଦେବଦାରୁ ପତ୍ର ଦେଇ ସଜାଉ। ସକାଳୁ ସକାଳୁ ଉଠି ପଡି ଠାକୁରଙ୍କୁ ସଜାଇବା ପାଇଁ ଫୁଲ ଚୋରି କରୁ। ତା ପରେ ଘରକୁ ଆସି ନୂଆ ଲୁଗାପଟା ପିନ୍ଧି ପୂଜା ପାଇଁ ବାହାରି ଯାଉ।
କହିବାକୁ ଭୁଲିଗଲି। ପୂଜା ଦିନ ଖରା ବେଳେ ଭୋଜି ବି ହୁଏ। ଭାତ, ଡାଲମା, ଖଟା। ପିଲେ ଘରୁ ଚାଉଳ, ଡାଲି, ପରିବା ଇତ୍ୟାଦି ନିଅନ୍ତି। ମସଲାମୁସୁଲି ସାର୍ ଆଉ ଦିଦିମାନେ ଆଣନ୍ତି। ଦିଦିମାନେ ରାନ୍ଧନ୍ତି ଆଉ ଝିଅ ପିଲା ଦଳେ ଟହଲିଆ କାମ କରନ୍ତି। ରୋଷେଇ ସରିଲେ ପେଟେ ଖାଇ ଦେଇ ବୁହେ ଖେଳାଖେଳି କରି ଖାଦ୍ୟ ହଜମ କରୁ।
ଜୀବନରେ ସେ ଦିନଗୁଡିକ କେବେ ବି ଫେରିବନି। ଏବେ ଭାବିଲେ ବି ଆଶ୍ଚର୍ଯ୍ୟ ଲାଗେ ଯେ କି ଦିନ ଥିଲା ସେ ବେଳେ!! ଧନୀ, ଗରିବ, ଜାତି, ଗୋତ୍ର, କଳା, ଗୋରା, ଡେଙ୍ଗା, ବାଙ୍ଗରା ନିର୍ବିଶେଷରେ ଆମେ ସବୁ ସାଙ୍ଗ ଥିଲୁ। ପାଠ ନ କଲେ କି ନ ଆସିଲେ, ନୋଳା ବସିବା ଯାଏଁ ପିଟୁଥିଲେ ସାର୍ ମାନେ। ଦରକାର ପଡିଲେ ନିଜ ପିଲା ପରି ଯତ୍ନ ବି ନେଉଥିଲେ। ଥରେ ଆମ ସାଙ୍ଗରେ ପଢ଼ୁଥିବା ଝିଅଟିଏ ଡେସ୍କ ଉପରେ ଡେଇଁ ଡେଇଁ ସର୍କସ୍ ଦେଖାଉଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡିଲା। ଓଠ ଫାଟି ଧାର ଧାର ରକ୍ତ ବୋହିଗଲା। ଆମ ଗଣିତ ଶିକ୍ଷକ ବସନ୍ତ ସାର୍ ତାକୁ ଟେକି ଟେକି ଡାକ୍ତରଖାନା ଯାଏଁ ନେଇ କି ଯାଇଥିଲେ। ସେଠି ପହଁଞ୍ଚିଲା ବେଳକୁ ସାରଙ୍କର ତୋଫା ଧଳା ସାର୍ଟ ନାଲି ହେଇ ଯାଇଥିଲା। ସେ ସମୟରେ ଶ୍ରେଣୀରୁ ଉତ୍ତୀର୍ଣ୍ଣ ପରୀକ୍ଷା ଫଳ ହେଡ଼ ସାର୍ ଆସି ଘୋଷଣା କରୁଥିଲେ। ସେଦିନ ଘୋଷଣା କରିବାରେ ଡେରି ହେବାରୁ ଓ ଭୋକ ଲାଗିବାରୁ ଘରକୁ ଯାଇଥାଏ। ରୋଷେଇ ସରି ନଥବାରୁ ମାଆ ମୁଠାଏ ମୁଢି ଧରାଇ ଦେଲା। ମୁଢିତକ ପକେଟରେ ପୁରେଇ ଧାଇଁଲି। ହେଡ଼ ସାର୍ ଫଳ ଘୋଷଣା କଲେ, ମୁଁ ପ୍ରଥମ ହୋଇଥାଏ। ମୁଣ୍ଡିଆ ମାରିଲା ବେଳକୁ ମୁଢ଼ି଼ତକ ସାରଙ୍କ ଗୋଡ଼ ଉପରେ! ସାର୍ ହସି ହସି ବେଦମ। କହିଲେ - ଆଗ ସେ ମୁଢିତକ ଗୋଟା, ତା ପରେ ଯାଇ ଘରକୁ ଯିବୁ। ସାଙ୍ଗଦଳ ଲାଗିଗଲେ ମୋ ସହ। ଗୋଟାଇବା ସହ ଖିଆ ବି ହୋଇଗଲା। ସାନିଟେସନ୍ ଇତ୍ୟାଦି କିଏ ବୁଝୁଥିଲା ସେତେବେଳେ?
ପ୍ରାଥମିକ ସ୍କୁଲ କଥା ଲେଖି ବସିଲେ, ବସ୍ତାଏ ଲେଖା ହେବ। ସ୍କୁଲରେ ଟୀକା ନେଲା ବେଳେ ଫାଶୀ ପାଇବାକୁ ଥିବା ଆସାମୀ ପରି ଘୋଷାରି ହୋଇ ଯିବା, ଶ୍ରମ ଦାନ କରି ସ୍କୁଲ କାନ୍ଥ ମରାମତି କରିବା, ଶ୍ରେଣୀର ସବୁଠାରୁ ସୁନ୍ଦରୀ ଝିଅଟିକୁ ଅନାଇ ଅନାଇ ସିଏ ଅନାଇଲେ ଖୁସି ହେବା ପରେ ସିଏ ହେଡ଼ ସାରଙ୍କର ଝିଆରୀ ଜାଣି ଅନେଇବାରୁ ବିରତ ହେବା ସବୁ ଗୋଟେ ଗୋଟେ କାହାଣୀ।
Comments