ଟ୍ରୋଲ୍ ସଂସ୍କୃତି
- Snehasish Rout
- Dec 12, 2020
- 2 min read
Updated: Jun 24, 2021
ସମ୍ପ୍ରତି ସମାଜରେ ଗୋଟିଏ ବଡ ପରିବର୍ତ୍ତନ ଆସିଛି ଯେ ବିବାଦ ପ୍ରବଳ ମାତ୍ରାରେ ବିକ୍ରି ହେଉଛି।ସାଧାରଣ ଜୀବନରେ ହେଉ ବା ସାମାଜିକ ଗଣମାଧ୍ୟମ, ବିବାଦ ଓ ବିବାଦୀୟ ବ୍ୟକ୍ତିତ୍ୱ ପ୍ରବଳ ଫାଇଦା ଉଠାଇବା ଲକ୍ଷ୍ୟ କରିହେଉଛି। ଏକ ବିବାଦ ସୃଷ୍ଟି କରି ତାକୁ ଭଲ ଭାବରେ ପ୍ୟାକ୍ କରି ମାର୍କେଟିଂ କରିଦେଲେ, ଇଛା ମୁତାବକ ଲାଭ (profit) ମିଳିବା ଥୟ। ଆପଣମାନେ ଲକ୍ଷ୍ୟ କରିଥିବେ, ବଲିଉଡ୍ ସିନେ ଜଗତରେ ଯେତେବେଳେ ଏକ ବଡ ବ୍ୟାନର୍ ବା ବଡ଼ ଷ୍ଟାର୍ ଅଭିନେତାଙ୍କ ସିନେମା ମୁକ୍ତିଲାଭ କରିବାକୁ ଥାଏ, ହଠାତ, ସେଇ ସିନେମା ବା ଷ୍ଟାର୍ ଅଥବା ବ୍ୟାନରକୁ ନେଇ କିଛି ଗୋଟିଏ ବିବାଦ ସାମ୍ନାକୁ ଆସେ। ଲୋକେ ପ୍ରବଳ ହୋ ହାଲ୍ଲା କରନ୍ତି ଓ ସେ ସମ୍ପର୍କୀୟ ଖବର ପ୍ରତିଦିନ ଆମ ଆଗକୁ ଭିନ୍ନ ଭିନ୍ନ ରୂପରେ ଆସେ ଓ ଶେଷରେ ସିନେମାଟି ସଫଳତା ପାଇଯାଏ। ବହୁତ ସମୟରେ ସନ୍ଦେହ କରାଯାଏ ଯେ ଚଳଚିତ୍ର ନିର୍ମାତାଙ୍କ ଲୋକ ହିଁ ଏଇ ବିବାଦ ନିଜେ ସୃଷ୍ଟି କରନ୍ତି, ଯାହାଦ୍ୱାରା ମୁକ୍ତିଲାଭ କରିବାର ବହୁ ପୂର୍ବରୁ ଚଳଚିତ୍ରଟି ଯଥେଷ୍ଟ ପବ୍ଲିସିଟି ପାଇଯାଏ।
କିଛି ବ୍ୟକ୍ତିତ୍ୱ ବି ଏଇ ସୂତ୍ର ବ୍ୟବହାର କରନ୍ତି। ଜାଣିଶୁଣି କିଛି ବିବାଦୀୟ କଥା କହିବା, ଲେଖିବା ଅଥବା କୌଣସି କଥା ଯାହାକୁ ନେଇ ବିବାଦ କରିହେବ, ତାକୁ ନେଇ ନିଜର ମାର୍କେଟିଂ କରିବା ଲୋକଙ୍କ ଉଦାହରଣ ପ୍ରବଳ ଅଛି। ଜୀବନର ପ୍ରତିଟି କ୍ଷେତ୍ରରେ ଆପଣ ଏଇଭଳି ଲୋକଙ୍କୁ ପାଇବେ ଯେଉଁମାନଙ୍କୁ ବିବାଦ ସୃଷ୍ଟି କରିବା ବା କୌଣସି ବିବାଦରେ ମୁଣ୍ଡ ଖେଳାଇବାରେ ଅପାର ଆନନ୍ଦ ମିଳେ। ବାକି ରହିଲେ, ସାଧାରଣ ଲୋକ; ଯିଏ କି କିଛି ବୁଝନ୍ତି ନାହିଁ, କିନ୍ତୁ ଏଇ ବିବାଦୀୟ ବ୍ୟକ୍ତିତ୍ୱଙ୍କ ହାତରେ ନିଜ ଅଜାଣତରେ ନିଜକୁ ସମର୍ପଣ କରିଦିଅନ୍ତି।
ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍ କରିବା ବା ଟ୍ରୋଲ୍ ହେବା ଏବେ ସାଧାରଣ ଘଟଣା ହେଇଗଲାଣି।ଆପଣ ଯଦି ଲକ୍ଷ୍ୟ କରିବେ, କିଛି ଲୋକ ଟ୍ରୋଲ୍ ହେବାରେ ଆନନ୍ଦ ଅନୁଭୂତ କରନ୍ତି ଆଉ କିଛି ଟ୍ରୋଲ୍ କରି। ଟ୍ରୋଲ୍ କରୁଥିବା ଲୋକଙ୍କ କଥା ଲକ୍ଷ୍ୟ କଲେ, କିଛି କଥା ଲକ୍ଷ୍ୟ କରିହୁଏ:
୧. କିଛି ଏମିତି ମଜା କରୁ କରୁ, ସେଇଟା କେତେବେଳେ ଟ୍ରୋଲରେ ପରିବର୍ତ୍ତିତ ହେଇଯାଏ, ଜାଣିପାରନ୍ତି ନାହିଁ। ତାଙ୍କ ହିସାବରେ ସିଏ ବ୍ୟଙ୍ଗ କରିଚାଲନ୍ତି, କିନ୍ତୁ ସେଇଟାକୁ ନେଇ ଆଉ କିଛି ଲୋକ ଅଲଗା ପ୍ରକାରେ ଉପସ୍ଥାପନ କରିଦିଅନ୍ତି। ଜଣେ ଓଡ଼ିଆ ଚଳଚିତ୍ର ଅଭିନେତା, ଯିଏ ଏବେ ଜଣେ ରାଜନୀତିଜ୍ଞ; ତାଙ୍କୁ କିଛି ଲୋକ ମଜାରେ ଟ୍ରୋଲ୍ କରୁକରୁ ତାଙ୍କ ରାଜନୈତିକ ବିରୋଧୀ ସେଇଟାକୁ ସିରିୟସ ଟ୍ରୋଲରେ ପରିବର୍ତ୍ତିତ କରିଦେବା ଉପରୋକ୍ତ କଥାର ଉଦାହରଣ।
୨. ଠିକ କଥାଟିଏ କୁହାଯାଏ, କିନ୍ତୁ ତାକୁ ବହୁତ ଜଣ କହିବା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ଟ୍ରୋଲ୍ ହେଉଥିବା ପରି ଲାଗେ। ଏ କ୍ଷେତ୍ରରେ ଲୋକ ହୁଏତ ଭୁଲ କହୁ ନଥାନ୍ତି ଓ କହୁଥିବା କଥାରେ ଅନେକ ପରିମାଣରେ ଯଥାର୍ଥତା ଥାଏ, କିନ୍ତୁ ବହୁତ ଲୋକ ସେଇକଥା କହିବା ଓ କିଛି ଲୋକ ନିଜର ବ୍ୟକ୍ତିଗତ ବା ରାଜନୈତିକ ବିରୋଧଭାବକୁ ସେଇଠି ଯୋଡ଼ିଦେବା ଘଟଣାଟିକୁ ଟ୍ରୋଲରେ ପରିଣତ କରିଦିଏ।
୩. କିଛି ଜାଣିସିଆଣିଆ ଟ୍ରୋଲ୍ ଥାଆନ୍ତି, ଯିଏ ଜାଣିଶୁଣି କିଛି ବିବାଦୀୟ କଥା ପୋଷ୍ଟ କରନ୍ତି। କହିବାବାହୁଲ୍ୟ, ଏମାନଙ୍କ ଉଦ୍ଦେଶ୍ୟ ଥାଏ କିଛି ବିବାଦ ସୃଷ୍ଟି କରିବା ଓ ସେଇ ବାହାନାରେ ନିଜର ପ୍ରଶଂସକଙ୍କ ସଂଖ୍ୟା ବଢ଼େଇବା। ପରେ ଏମାନେ ଏଇ ଟ୍ରୋଲ୍ ହେବାକୁ ନେଇ ଭିକ୍ଟିମ୍ କାର୍ଡ୍ ଖେଳିବାକୁ ଚେଷ୍ଟା କରନ୍ତି ଓ ସଫଳ ବି ହୁଅନ୍ତି।
୪. ଏବେକାର ସାମାଜିକ ଗଣମାଧ୍ୟମରେ ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହେଇଛି ରାଜନୈତିକ ବିରୋଧୀଙ୍କୁ ଟ୍ରୋଲ୍ କରିବା। ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ଦ୍ୱାରା ଏଇ ଧରଣର ଟ୍ରୋଲ୍ ଆରମ୍ଭ କରାଯାଇଥିଲା।ବିରୋଧୀ ଦଳର ପ୍ରମୁଖ ନେତାଙ୍କୁ ନିଜର ଚେଲାଚାମୁଣ୍ଡାଙ୍କ ଦ୍ୱାରା ଟ୍ରୋଲ୍ କରେଇ ତାଙ୍କୁ ଏକ ହାସ୍ୟାସ୍ପଦ ବ୍ୟକ୍ତିତ୍ୱ ହିସାବରେ ପରିବେଷଣ କରାଯିବା ଏଇ କୌଶଳର ମୂଳମନ୍ତ୍ର। ସିଏ କହୁଥିବା କଥାକୁ ସମ୍ପାଦନା କରି ବ୍ୟଙ୍ଗାତ୍ମକ ରୂପରେ ପରିବେଷଣ କରିବା ବା ତାଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟକୁ ବ୍ୟଙ୍ଗାତ୍ମକ ଭାବରେ ଉପସ୍ଥାପନ କରିବା ଦ୍ୱାରା ଲୋକଟି ଏକ ହାସ୍ୟାସ୍ପଦ ଚରିତ୍ରରେ ଲୋକମାନସରେ ରହିଯିବାର ଦେଖିବାକୁ ମିଳୁଛି। ଏବେ ଅବଶ୍ୟ ପ୍ରାୟ ରାଜନୈତିକ ଦଳ ଏଇ କୌଶଳର ପ୍ରୟୋଗ ଆରମ୍ଭ କରିଦେଇଛନ୍ତି, କିନ୍ତୁ ବ୍ୟବସାୟରେ କଥାଟିଏ ଅଛି – ଯିଏ ନୂଆ ଧରଣର ବେପାର ଆରମ୍ଭ କରେ, କ୍ରିମ୍ ତକ ସେଇ ଲୋକ ହିଁ ଖାଏ।
ତେବେ, ଏସବୁ ଚାଲିବ କେତେଦିନ? କେବଳ ସମୟ ହିଁ ଏହାର ଉତ୍ତର ଦେଇପାରିବ।
Comments